June 23, 2025

ନିୟମଗିରି ପାହାଡ଼ରେ ମାଓ ବିରୋଧୀ ପୋଷ୍ଟର୍

ରାୟଗଡ଼ା,୩/୨: ନିୟମଗିରି ପାହାଡ଼ରେ ସୋମବାର ସକାଳୁ ମାଓ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲିର ଦୁଇଟି ସ୍ଥାନରେ ଏଭଳି ୫ଟି ପୋଷ୍ଟର ଲାଗିଛି। ଡଙ୍ଗରିଆ କନ୍ଧ ବିକାଶ ମଞ୍ଚ ତରଫରୁ ଏହି ପୋଷ୍ଟର୍ ମରାଯାଇଥିବା ନେଇ ସେଥିରେ ଉଲ୍ଲେଖ ରହିଛି। ରାସ୍ତା କାମକୁ ବିରୋଧ କରି ମାଓବାଦୀ ଗାଡ଼ି ପୋଡ଼ି ଦେଇଥିବା ଘଟଣାକୁ ଡଙ୍ଗରିଆ କନ୍ଧ ବିକାଶ ମଞ୍ଚ ନିନ୍ଦା କରିଛି। ଉକ୍ତ ପୋଷ୍ଟରରେ ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ ଚେଷ୍ଟା କରୁଥିବା ଯୁବକଙ୍କୁ ମୃତ୍ୟୁ ଧମକ ଦେବା କେବେ ବନ୍ଦ ହେବ, ରାସ୍ତା ନିର୍ମାଣରେ ନିୟୋଜିତ ଗାଡ଼ିକୁ ପୋଡ଼ିବାକୁ ମାଓବାଦୀଙ୍କୁ କିଏ କହିଛନ୍ତି, ନିୟମଗିରି ସୁରକ୍ଷା ସମିତି କାହିଁକି ଏହାକୁ ବିରୋଧ କରୁନାହିଁ ଓ ନିୟମଗିରି ସୁରକ୍ଷା ସମିତି କ’ଣ ନକ୍ସଲଙ୍କୁ ସମର୍ଥନ କରୁଛି କି ବୋଲି ଉଲ୍ଲେଖ ରହିଛି। ନିୟମଗିରି ସୁରକ୍ଷାମଞ୍ଚ ନାଆଁରେ ଆଉ କେତେ ଦିନ ନିରୀହ ଡଙ୍ଗରିଆମାନଙ୍କୁ ଶୋଷଣ କରାଯାଉଥିବ ବୋଲି ବି ପ୍ରଶ୍ନ କରାଯାଇଛି। ଏଥିସହ ଏହା କେବେ ବନ୍ଦହେବ ବୋଲି ଜବାବ୍ ମଗାଯାଇଥିବାବେଳେ ଏହି ପଛୁଆ ଅଞ୍ଚଳର ବିକାଶ ପାଇଁ ଡଙ୍ଗରିଆ କନ୍ଧ ବିକାଶ ମଞ୍ଚକୁ ସହଯୋଗ କରିବାକୁ ପୋଷ୍ଟରରେ ନିବେଦନ କରାଯାଇଛି।

Spread the love