July 27, 2024

Satya News

odia news channel

ଚିଲିକାରେ ଡଙ୍ଗା ବୁଡ଼ିଲା, ୭ ଗୁରୁତର

ବାଲୁଗାଁ,୩/୨: କାଳିଜାଈଙ୍କୁ ଦର୍ଶନ ପରେ ଭୋଜିକରିି ଫେରୁଥିବା ଏକ ଯାତ୍ରୀବାହୀ ଡଙ୍ଗା ରବିବାର ଚିଲିକାର ଅଥଳ ଜଳରେ ବୁଡ଼ିଯିବାରୁ ୭ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ବାଲୁଗାଁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସୂଚନାନୁଯାୟୀ, ରବିବାର ସକାଳୁ ବାଲୁଗାଁ ନିକଟସ୍ଥ ବଡ଼କୁଳ, ସୁବୁଦ୍ଧିପାଟଣା ଓ ଆଙ୍କୁଲା ଗ୍ରାମରୁ ୪୫ଜଣ ଯାତ୍ରୀ ୩ଟି ମତ୍ସ୍ୟ ବ୍ୟବସାୟୀ ଡଙ୍ଗାରେ ମା’ କାଳିଜାଈଙ୍କ ଦର୍ଶନ ନିମନ୍ତେ ଯାଇଥିଲେ। ସେମାନେ ସେଠାରେ ଭୋଜି ଖାଇ ୨ଟି ଡଙ୍ଗାରେ ୨୮ଜଣ ଫେରି ଆସିଥିବାବେଳେ ଅନ୍ୟମାନେ ରହିଯାଇଥିଲେ। ସନ୍ଧ୍ୟା ପ୍ରାୟ ୫ଟା ୩୦ରେ ୧୭ଜଣଙ୍କୁ ଧରି ଏକ ଡଙ୍ଗା ବଡ଼କୁଳ ଜେଟି ଅଭିମୁଖେ ଆସୁଥିବାବେଳେ ଭାରସାମ୍ୟ ହରାଇ ଗଭୀର ଜଳଥିବା କାଳିଜାଈ ଗଣ୍ଡଠାରେ ବୁଡ଼ି ଯାଇଥିଲା। ତେବେ ୩ଟି ମତ୍ସ୍ୟଜୀବୀ ଓ ଯାତ୍ରୀ ଡଙ୍ଗା ସେଠାରେ ପହଞ୍ଚି ବୁଡ଼ି ଯାଇଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଏଥିରେ ୭ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ସେମାନେ ହେଲେ ବୋରିଆ ସାହିର ଅର୍ଜୁନ ବିଶ୍ୱାଳଙ୍କ ପତ୍ନୀ ସତ୍ୟଭାମା ବିଶ୍ୱାଳ(୫୦), ଚନ୍ଦ୍ରାପୁଟ ଗ୍ରାମର ଅଶୋକ ଜେନାଙ୍କ ପତ୍ନୀ ରୀନା ଜାଲି (୩୭), ତୋଟାପଡ଼ା ଗ୍ରାମର ଦେବରାଜ ବିଶୋଇଙ୍କ ପତ୍ନୀ ଭାନୁମତୀ ବିଶୋଇ(୫୦), ନିଆଜ ବିଶୋଇଙ୍କ ପତ୍ନୀ ମଞ୍ଜୁ ବିଶୋଇ(୪୫), ବୁଟୁ ବିଶୋଇଙ୍କ ପତ୍ନୀ ସୁନିତା ବିଶୋଇ(୬୦), ଆଙ୍କୁଲା ଗ୍ରାମର କବିରାଜ ଦଳେଇଙ୍କ ପତ୍ନୀ ଅଗାଡ଼ି ଦଳାଇ(୬୦) ଏବଂ ବଡକୁଳ ଗ୍ରାମର ଇଛା ଦେଈ। ସମସ୍ତଙ୍କୁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗାଡ଼ି ଦଳାଇ ଓ ରୀନା ଜାଲିଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

Spread the love