July 27, 2024

Satya News

odia news channel

ବିପ୍ଳବୀ କବି ରବି ସିଂଙ୍କ ବିୟୋଗ

କଟକ,୨/୨: ବିପ୍ଲବୀ କବି ଭାବେ ପରିଚିତ ରବି ସିଂ ରବିବାର ସକାଳେ କଟକର ଖପୁରିଆ ନିକଟସ୍ଥ ଲେବର୍ କଲୋନୀରେ ଥିବା ତାଙ୍କ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏ ସମ୍ପର୍କରେ ତାଙ୍କ ପୁଅ ଚନ୍ଦ୍ରଜିତ୍ ସିଂ ସୂଚନା ଦେଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ସୂଚନାନୁଯାୟୀ, ଦୀର୍ଘଦିନ ଧରି ଅସୁସ୍ଥ ଥିବା ରବି ସିଂଙ୍କୁ ୫ ଦିନ କଟକର ଏସସିବିରେ ଚିକିତ୍ସିତ କରାଯିବାପରେ ତିନିଦିନ ପୂର୍ବରୁ ଘରକୁ ଅଣାଯାଇଥିଲା। ମାତ୍ର ଆଜି ସକାଳେ ତାଙ୍କର ପରଲୋକ ହୋଇଯାଇଛି। ରବି ସିଂ ୧୯୬୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ୨୦୧୭ରେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଲାଭ କରିଥିଲେ। ୧୯୩୫ ମସିହା ଫେବୃଆରୀ ୧୮ ତାରିଖରେ ଜଗତସିଂହପୁର ଜିଲ୍ଲାର ନବାପାଟଣାରେ ଜନ୍ମଗ୍ରହଣ କରିଥିଲେ ରବି ସିଂହ। ତାଙ୍କ କ୍ରାନ୍ତିକାରୀ କବିତା ମଧ୍ୟରେ ପଥପ୍ରାନ୍ତର କବିତା, ଚରମ ପତ୍ର, ଶିଥିଳ ବଲ୍‌ଗା, ପାଗୋଡାର ପ୍ରେତ, ଭ୍ରୁକୁଟି, ବିଦୀର୍ଣ୍ଣ, ପାଦଟୀକା, ଅପ୍ରୀତିକର କବିତା, ଜ୍ୱାଳାର ମାଳା, କ୍ଷତ, ସର୍ବହରା, ବିଷବାଣୀ, ଦୁର୍ଗମ ଗିରି, ଅନାର୍ଯ୍ୟର ଆର୍ଯ୍ୟପଦ, କ୍ରାନ୍ତି କାମୋଦି, ଜଳ ମୋ ଅନଳ, ପୃଥିବୀ ଟଳମଳ ଭଳି କବିତା ବେଶ୍‌ ପ୍ରଶଂସା ସାଉଁଟିଛି। ଏହା ବ୍ୟତୀତ ପରାସ୍ତ ସୈନିକ, ଚଳନ୍ତିକା ଭଳି ଗଳ୍ପ ବହି, ଆତ୍ମଜୀବନୀ ‘ନିଃସଙ୍ଗ ପଦାତିକ’ ଏବଂ ସମାଲୋଚନା ପୁସ୍ତକ ‘ସଂସ୍କୃତିର ବୈପ୍ଳବିକ ମୂଲ୍ୟବୋଧ’ ଭଳି ଆହୁରି ଅନେକ ପୁସ୍ତକ ରଚନା କରିଛନ୍ତି। ଚରମ ପତ୍ର ପୁସ୍ତକ ପାଇଁ ସେ ୧୯୬୫ରେ ‘ସାହିତ୍ୟ ଏକାଡେମୀ’ ପୁରସ୍କାର ପାଇଥିଲେ। ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି।

Spread the love