July 27, 2024

Satya News

odia news channel

ବଜେଟ୍‌-୨୦୨୦: ମୁଖ୍ୟମନ୍ତ୍ରୀଙ୍କ ମିଶ୍ର ପ୍ରତିକ୍ରିୟା

ଭୁବନେଶ୍ୱର,୨/୨: ଲୋକସଭାରେ ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ସାଧାରଣ ବଜେଟ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ଏହାର କେତେଗୁଡିଏ ବ୍ୟବସ୍ଥାକୁ ସେ ସ୍ୱାଗତ କରିଥିବାବେଳେ ଆଉ କେତେକକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ବଜେଟ୍‌ରେ କୃଷି ଉପରେ ଗୁରୁତ୍ୱ ଦିଆଯିବାକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି। କୃଷି ରେଲ୍ ଓ କୃଷି ଉଡାଣ ଭଳି ବ୍ୟବସ୍ଥା ଦ୍ୱାରା କୃଷିଜାତ ସାମଗ୍ରୀ ପାଇଁ ଶୀତଳ ଭଣ୍ଡାର ସୁବିଧା ସହ ପରିବହନକୁ ସେ ସ୍ୱାଗତ କରିଛନ୍ତି। ଏଥିସହ ପିଏମ-କୁସୁମ ଯୋଜନାରେ ୨୦ ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ ଯୋଗାଣ ଏକ ଭଲ ପଦକ୍ଷେପ ବୋଲି ସେ କହିଛନ୍ତି। କମ୍ପାନିମାନଙ୍କ ପାଇଁ ବଜେଟରେ ଟିକସ ରିହାତି ଘୋଷଣା କରାଯାଇଥିବାରୁ ତାହା ସ୍ୱାଗତଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବ୍ୟାଙ୍କ ଜମା ବୀମା ପରିମାଣ ୧ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯିବା ଓ ନୂଆ ଶିକ୍ଷାନୀତି ପ୍ରଣୟନକୁ ନବୀନ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ କେତେକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକଟ କରିଛନ୍ତି। ସବୁ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ବ୍ୟୟବରାଦ ପରିମାଣ ହ୍ରାସ ପାଇଥିବାରୁ ଓଡ଼ିଶାର ଭାଗ ପ୍ରାୟ ୩ ହଜାର କୋଟି କମିବ। ପ୍ରାଚୀନ ଐତିହ୍ୟର ବିକାଶ କରି ତାହାକୁ ପ୍ରତିଷ୍ଠିତ ସ୍ଥଳୀରେ ପରିଣତ କରିବା କ୍ଷେତ୍ରରେ ଓଡ଼ିଶାର କୌଣସି ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇନଥିବାରୁ ସେ ନିରାଶା ବ୍ୟକ୍ତ କରିଛନ୍ତି। ପାନୀୟଜଳ ପାଇଁ ବ୍ୟୟବରାଦ ହ୍ରାସ ଚିନ୍ତାର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

Spread the love