January 21, 2025

ଦଶହରାରେ ତାଜମହଲ ପରିସରରେ କେଶରୀ ପତାକା ଉଡାଇ ଶିବ ଚାଳିଶା ପାଠ କଲେ ହିନ୍ଦୁ ଜାଗରଣ ମଞ୍ଚର ଯୁବ ଜିଲ୍ଲା ଅଧ୍ୟକ୍ଷ

ଆଗ୍ରା  : ଆଜି ସାରା ଦେଶରେ ବିଜୟାଦଶମୀ ପାଳନ କରାଯାଉଛି। ବିଜୟାଦଶମୀ ଅବସରରେ ତାଜମହଲ ପରିସରରେ କେଶରୀ ପତାକା ଉଡ଼ାଯାଉଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ହିନ୍ଦୁବାଦୀ ସଂଗଠନର ଜଣେ କାର୍ଯ୍ୟକର୍ତ୍ତା ତାଜମହଲ ପରିସରରେ କେଶରୀ ରଙ୍ଗର ପତାକା ଉଡାଇ ଶିବ ଚାଳିଶା ପାଠ କରିଛନ୍ତି। ଘଟଣାକୁ ନେଇ ଏବେ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ। କିନ୍ତୁ ତାଜମହଲ ପରିସରରେ ଯେଉଁଭଳି ଭାବେ ଏହି ପତାକା ଉଡାଯାଇଛି ତାକୁ ନେଇ ତାଜମହଲ ମ୍ୟାନେଜମେଣ୍ଟକୁ ନେଇ ପ୍ରଶ୍ନ ଛିଡା ହୋଇଛି।

ପତାକା ସହ ଶିବ ଚାଳିଶା ପାଠ କରିଥିବା ଯୁବକ ଜଣକ ଆଗ୍ରା ହିନ୍ଦୁ ଜାଗରଣ ମଞ୍ଚର ଯୁବ ଜିଲ୍ଲା ଅଧ୍ୟକ୍ଷ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ହିନ୍ଦୁ ଜାଗରଣ ମଞ୍ଚର ଯୁବ ଜିଲ୍ଲା ଅଧ୍ୟକ୍ଷ ଗୌରବ ଠାକୁରଙ୍କ ଦ୍ୱାରା ଗତ ୫ ବର୍ଷରେ ପାଖାପାଖି ୫ଥର ତାଜମହଲ ଭିତରେ ଶିବ ଆରାଧନା କରାଯାଇଛି ଓ କେଶରୀ ପତାକା ଉଡ଼ାଇଥିବା ଦେଖିବାକୁ ମିଳିଛି। ଗୌରବ ଠାକୁର ଦାବି କରିଛନ୍ତି ଯେ ବିଶ୍ୱ ଐତିହ୍ୟ ତାଜମହଲ ଏକ କବର ନୁହେଁ ବରଂ ତାଙ୍କ ଆରାଧ୍ୟ ଭଗବାନ ଶିବଙ୍କ ପ୍ରାଚୀନ ମନ୍ଦିର। ସେ କହିଛନ୍ତି ଯେ ସେ ତାଜମହଲରେ ପୂର୍ବରୁ ମଧ୍ୟ ଶିବଙ୍କ ଆରାଧନା କରିଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ କରିବେ।

ଗୌରବ ଠାକୁର ଦାବି କରିଛନ୍ତି ଯେ ତାଜମହଲ ତାଜମହଲ ନୁହେଁ ବରଂ ତେଜୋମହଲ ଏବଂ ଏହି ସତ୍ୟ ଜନତାଙ୍କ ସାମ୍ନାକୁ ଆସିବା ଉଚିତ। ସେ ଦାବି କରିଛନ୍ତି ଯେ ଶାହାଜାହାନ୍ ନିର୍ମାଣ କରିଥିବା ତାଜମହଲ କୌଣସି ପ୍ରେମରେ ପ୍ରତୀକ ନୁହେଁ ବରଂ ହିନ୍ଦୁ ଆସ୍ଥା କେନ୍ଦ୍ର। ଏହି ଭିଡିଓ ଭାଇରାଲ ହେବାପରେ ତାଜମହଲ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ବାରମ୍ବାର ହେଉଥିବା ଏହିଭଳି ଘଟଣା ସୁରକ୍ଷା ସଂସ୍ଥା ପାଇଁ ଏକ ଖୋଲା ଚ୍ୟାଲେଞ୍ଜ।

Spread the love