July 27, 2024

Satya News

odia news channel

ଛାତ୍ରୀମାନଙ୍କ ଅନ୍ତଃବସ୍ତ୍ର ଯାଞ୍ଚକଲେ କଲେଜ ପ୍ରିନ୍ସିପାଲ

ଅହମଦାବାଦ: ଗୁଜୁରାଟର ଭୁଜଠାରେ ଶୁକ୍ରବାର ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେବା ପାଇଁ ପର୍ଯ୍ୟାପ୍ତ l ସେଠାରେ ଥିବା ଶ୍ରୀ ସହଜାନନ୍ଦ ଗର୍ଲ ଇନଷ୍ଟିଚ୍ୟୁର ପ୍ରିନ୍ସିପାଲ 68 ଜଣ ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଖୋଲି ସେମାନଙ୍କ ମାସିକ ଋତୁସ୍ରାବ ହୋଇଛି କି ନାହିଁ ଯାଞ୍ଚ କରିଛନ୍ତି l ଏହି ଘଟଣା ସେଠାକାର ଏକ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିବାଦ ଜୋର ଧରିଛି l ଗଣମାଧ୍ୟମ ରିପୋର୍ଟ ଅନୁସାରେ, କଲେଜରେ ନିୟମ ରହିଛି ଯେ, ଋତୁସ୍ରାବ ସମୟରେ ଛାତ୍ରୀମାନେ ପାଖରେ ଥିବା ମନ୍ଦିର କିମ୍ବା କଲେଜର ରୋଷେଇଘରେ ପ୍ରବେଶ କରିପାରିବେ ନାହିଁ l ଏପରି କି ମନ୍ଦିର ବାହାରେ ମଧ୍ୟ ଫଳକ ମାଧ୍ୟମରେ ଏହି ବାର୍ତ୍ତାକୁ ସ୍ପଷ୍ଟ ଭାବେ ଲେଖି ବୁଝାଇ ଦିଆଯାଇଛି l

ତେବେ ମହିଳାମାନଙ୍କ ଋତୁସ୍ରାବ ସମୟ ଲାଗି ଉଦ୍ଦିଷ୍ଟ ନିୟମକୁ ସେମାନେ ମାନୁନାହାନ୍ତି ବୋଲି ଛାତ୍ରୀନିବାସର ସୁପରିନଟେଣ୍ଡେଣ୍ଟ କଲେଜ ପରିଚାଳନା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ l
କଲେଜ କର୍ତ୍ତୃପକ୍ଷ ଏହି ଅଭିଯୋଗ ଶୁଣିବା ପରେ ଛାତ୍ରୀନିବାସର 68 ଛାତ୍ରୀଙ୍କୁ ଡକାଇଥିଲେ l ସେ ସମସ୍ତ ଛାତ୍ରୀଙ୍କୁ ମାସିକ ଋତୁସ୍ରାବ ହୋଇଛି କି ନାହିଁ ତାହାର ପ୍ରମାଣ ଦେଖେଇବାକୁ ନିର୍ଦେଶ ଦେଇଥିଲେ l ଏହି ଲଜ୍ଜାକର ଘଟଣା ଜାତୀୟ ମହିଳା କମିଶନଙ୍କ ଦୃଷ୍ଟିକୁ ଆସିବା ପରେ ସେ ଏହାକୁ ଅତ୍ୟନ୍ତ ଗମ୍ଭୀରତା ସହ ଗ୍ରହଣ କରିଛନ୍ତି l ଏକ ତଦନ୍ତ କମିଟି ଗଠନ କରି ଘଟଣାର ତଦନ୍ତ କରିବା ପାଇଁ ସମ୍ପୃକ୍ତ କଲେଜ ଏବଂ ଛାତ୍ରୀନିବାସକୁ ପଠାଇଛନ୍ତି l ଏହା ସହ ଅଦ୍ୟାବଧି କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଗୁଜୁରାଟ ପୋଲିସ ଡିଜିଙ୍କୁ ତାର ରିପୋର୍ଟ ମାଗିଛନ୍ତି l ଇତିମଧ୍ୟରେ ପ୍ରିନ୍ସିପାଲଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି l

Spread the love