July 27, 2024

Satya News

odia news channel

ଶପଥ ନେଲେ ହେମନ୍ତ ସୋରେନ୍

ରାଞ୍ଚି,୩୦/୧୨: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ୍ ରବିବାର ଝାଡ଼ଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୋହରହବାଡି ପଡ଼ିଆରେ ଆୟୋଜିତ ହୋଇଥିବା ଶପଥ ଗ୍ରହଣ ସମାରୋହରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ। ହେମନ୍ତଙ୍କ ପରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମେଣ୍ଟ ସରକାରରେ ସାମିଲ ଥିବା କଂଗ୍ରେସ ବିଧାୟକ ରାମେଶ୍ୱର ଉରାଙ୍ଗ ଏବଂ ବିଧାୟକ ଆଲମଗିର ଆଲମ। ପୂର୍ବତନ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ରାମେଶ୍ୱର ଏବେ ଝାଡ଼ଖଣ୍ଡର ପିସିସି ସଭାପତି ରହିଛନ୍ତି। ତେବେ ହେମନ୍ତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଡିଏମକେ ସୁପ୍ରିମୋ ଏମ.କେ ଷ୍ଟାଲିନ୍, ଆରଜେଡି ନେତା ତେଜସ୍ୱୀ ଯାଦବ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ହେମନ୍ତ ସୋରେନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ କେନ୍ଦ୍ର ତାଙ୍କ ସରକାରକୁ ସମସ୍ତ ପ୍ରକାର ସହଯୋଗ କରିବ ବୋଲି କହିଛନ୍ତି।

Spread the love