କଟକ,୧୬/୧: ଘନ କୁହୁଡ଼ି ଯୋଗୁଁ ମାଲଗାଡ଼ି ସହ ଧକ୍କାହେବା ପରେ ଗୁରୁବାର ସକାଳ ପ୍ରାୟ ୬: ୩୦ ସମୟରେ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି। ଏହାର ମୋଟ ୭ଟି ବଗି ଲାଇନଚ୍ୟୁତ ହୋଇଥିବାବେଳେ ୪ଟି କ୍ଷତିଗ୍ରସ୍ତ ହୋଇଛି। ଫଳରେ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବାବେଳେ ୧୦ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ କଟକସ୍ଥିତ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ୫ ପୁରୁଷ, ୨ ମହିଳା ଓ ୩ ଶିଶୁ ରହିଛନ୍ତି। ଏସିସିବିର ଅସ୍ଥିଶଲ୍ୟ, ସର୍ଜରୀ ଓ ମେଡିସିନ ଟିମର ମିଳିତ ଉଦ୍ୟମରେ ଚିକିତ୍ସା ଚାଲିଛି। ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି। ତେବେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ମୃତ୍ୟୁ ହୋଇନଥିବା ରେଲୱେ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ରେଳ ବିଭାଗ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ସେଗୁଡ଼ିକ ହେଲା କଟକ-୦୬୭୧୧୦୭୨, ଖୋର୍ଦ୍ଧାରୋଡ-୦୬୭୪୧୦୭୨, ପୁରୀ-୦୬୭୫୨୧୦୭୨ ଏବଂ ଭୁବନେଶ୍ୱର ହେଡକ୍ୱାଟର-୧୮୦୦୩୪୫୭୪୦୧, ୧୮୦୦୩୪୫୭୪୦୨। ଦୁର୍ଘଟଣା ପରେ ଆହତ ଯାତ୍ରୀଙ୍କ ଉଦ୍ଧାର ପାଇଁ ସହାୟତା କରିଥିବାରୁ ରେଳ ବିଭାଗ ସ୍ଥାନୀୟ ଲୋକଙ୍କୁ କୃତଜ୍ଞତା ଜଣାଇଛି। ଅନ୍ୟପକ୍ଷରେ ଏହି ଦୁର୍ଘଟଣା ଯୋଗୁଁ କଟକ ରେଳଷ୍ଟେସନ୍ ଦେଇ ଯିବାକୁ ଥିବା ୫ଟି ଟ୍ରେନର ଗତିପଥ ବଦଳା ଯାଇଥିବା ସୂଚନା ମିଳିଛି। ଏହି ଟ୍ରେନଗୁଡ଼ିକ ନରାଜ ଦେଇ ଯାତ୍ରା କରିବ। ତାଳଚେର-ପୁରୀ ମେମୁ ଟ୍ରେନ୍, ଦୁର୍ଗ-ପୁରୀ ଏକ୍ସପ୍ରେସ୍, ପୁରୀ-ରାଉରକେଲା, ଧାନବାଦ୍- ଭୁବନେଶ୍ୱର ରାଜାରାଣୀ ଏକ୍ସପ୍ରେସ୍ ଏବଂ ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ ନରାଜ ବାଟ ଦେଇ ଯାତ୍ରା କରିବ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍