July 27, 2024

Satya News

odia news channel

ରାଜଧାନୀରେ ଫୁଟିଲା ଗୁଳି: ଛାତ୍ରୀ ଗୁରୁତର । କାରଣ ଅସ୍ପଷ୍ଟ, ପ୍ରେମ ବ୍ୟାପାର ସନ୍ଦେହ

ଭାଲେଣ୍ଟାଇନ୍ସ ଗୁଳି !
ଭୁବନେଶ୍ୱର, ୧୦/୨: ରାଜଧାନୀ ଭୁବନେଶ୍ୱରରେ ସୋମବାର ଦିନ ଦ୍ୱିପହରରେ ଗୁଳି ଫୁଟିଛି । ଗୁଳିମାଡ଼ରେ ଏନଆଇଏଫଟିର ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ  ପହଂଚି ଛାନଭିନ କରୁଛି ।
ମିଳିଥିବା ସୂଚନାନୁସାରେ, ବାଲେଶ୍ୱରର ଛାତ୍ରୀ ସୋନାଲି ଦାସ ଭୁବନେଶ୍ୱରସ୍ଥିତ ଏନଆଇଏଫଟିରେ ଫ୍ୟାଶନ ଡିଜାଇନିଂ ପାଠ ପଢ଼ନ୍ତି । ସେ ସୋମବାର ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଇନଫୋସିଟି ଥାନା ଅଞ୍ଚଳରେ ଛିଡ଼ା ହୋଇ କଥା ହେଉଥିଲେ । ଏତିକିବେଳେ ଦୁଇଜଣ ଦୁର୍ବୃତ୍ତଏକ ବାଇକରେ ଆସି ହଠାତ ସେମାନଙ୍କ ଉପରକୁ ଗୁଳି କରିଥିଲେ । ଫିଲ୍ମି ଷ୍ଟାଇଲରେ ଦୁଇ ରାଉଣ୍ଡ ଗୁଳି କରି ସେମାନେ ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ । ସୋନାଲିଙ୍କ ଜଙ୍ଘରେ ଗୁଳି ବାଜିଥିବାବେଳେ ତାଙ୍କ ପୁରୁଷ ବନ୍ଧୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପୁରୁଷ ବନ୍ଧୁ ଓ ଅନ୍ୟ ଜଣେ ଯୁବକ ସୋନାଲିଙ୍କୁ କଳିଙ୍ଗ ହସ୍ପିଟାଲକୁ ନେଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଗୁଳିମାଡ଼ର କାରଣ ସ୍ପଷ୍ଟ ହୋଇ ନଥିବାବେଳେ ଭାଲେଣ୍ଟାଇନ୍ସ ୱିକ୍ ଚାଲିଥିବାରୁ ପ୍ରେମ ବ୍ୟାପାରରୁ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଖୋଦ ରାଜଧାନୀରେ ପୋଲିସର ନାକ ତଳେ ଯଦି ଜଣେ ଛାତ୍ରୀଙ୍କ ଉପରକୁ ଏପରି ମରଣାନ୍ତକ ଆକ୍ରମଣ ହେଉଛି ତେବେ ଅନ୍ଧାରରେ ବାଡ଼ି ବୁଲାଉଥିବା ରାଜ୍ୟର ଅନ୍ୟ ଅଞ୍ଚଳଗୁଡ଼ିକରେ କିଭଳି ସ୍ଥିତି ଥିବ ତାହା ଅନୁମେୟ ।
Spread the love