July 27, 2024

Satya News

odia news channel

ସାତକୋଶିଆରେ ବଢ଼ିଲା କୁମ୍ଭୀର ସଂଖ୍ୟା

ଅନୁଗୁଳ,୮/୨: ଅନୁଗୁଳ ବନମଣ୍ଡଳରେ କୁମ୍ଭୀର ସଂଖ୍ୟା ୧୩୧ କୁ ବୃଦ୍ଧି ପାଇଛି। ଗତବର୍ଷ ସାତକୋଶିଆ, ମହାନଦୀ ଓ ଆଠମଲ୍ଲିକ ବନଖଣ୍ଡରେ ମୋଟ ୧୧୨ଟି କୁମ୍ଭୀର ଥିବାବେଳେ ଚଳିତବର୍ଷ ଏହି ସଂଖ୍ୟାରେ ୧୯ ବୃଦ୍ଧି ଘଟିଛି। ଏ ନେଇ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, ଜାନୁଆରୀ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ବନମଣ୍ଡଳରେ କୁମ୍ଭୀର ଗଣନା ହୋଇଥିଲା। ମହାନଦୀ, ସାତକୋଶିଆ ଓ ଆଠମଲ୍ଲିକର ବିଭିନ୍ନ ଜଳାଶୟରେ ମୋଟ ୧୩ଟି ଟିମରେ ୫୦ ଜଣ କର୍ମଚାରୀ ଏହି ଗଣନା କରିଥିଲେ। ଗଣନା ପାଇଁ ବନ ବିଭାଗ ତରଫରୁ ୧୩ଟି ଦେଶୀ ଡଙ୍ଗା ଓ ଦୁଇଟି ବୋଟର ବ୍ୟବସ୍ଥା କରାଯାଇଥିଲା। ପ୍ରଥମେ ଟିକରପଡ଼ା ଘାଟଠାରୁ ଗଣନା ଆରମ୍ଭ ହୋଇ ମାରାଡ଼ାରୁ ଶୀତଳପାଣି ନଦୀ, ଶୀତଳପାଣିରୁ ହରଭଙ୍ଗା, ଟିକରପଡ଼ାରୁ କଟରଙ୍ଗ ଘାଟ, ଅଇଡ଼ା, ବାଲିପୁଟ ଓ କିଆକଟା ଅଞ୍ଚଳରେ କୁମ୍ଭୀର ଗଣନା କରାଯାଇଥିଲା। କୁମ୍ଭୀର ଗଣନା ପରେ ବନଖଣ୍ଡସ୍ତରୀୟ ରିପୋର୍ଟକୁ ଏକାଠି କରାଯାଇ ରିପୋର୍ଟ ପ୍ରଦାନ କରାଯାଇଛି। ସାତକୋଶିଆ ଗଣ୍ଡରେ ୮ଟି ଘଡ଼ିଆଳ, ୮୫ଟି ମଗର ଏବଂ ଆଠମଲ୍ଲିକର ବିଭିନ୍ନ ଜଳାଶୟରେ ୨୮ଟି କୁମ୍ଭୀର ରହିଛନ୍ତି। ସେହିପରି ଟିକରପଡ଼ା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ୬ଟି ମଗର ଓ ୪ଟି ଘଡ଼ିଆଳ ଥିବା କୁହାଯାଇଛି। ଏଥି ସହିତ ମୋଟ ୧୧୯ଟି ମଗର ଓ ୧୨ଟି ଘଡ଼ିଆଳକୁ ମିଶାଇ ଏବେ ବନମଣ୍ଡଳରେ ମୋଟ ୧୩୧ଟି କୁମ୍ଭୀର ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।

Spread the love