January 16, 2025

ଗ୍ରାମବାସୀଙ୍କ ତୀରମାଡ଼ରେ ମାଓବାଦୀର ମୃତ୍ୟୁ: ୧୫ ଘର ପୋଡ଼ିଲେ ଲାଲବାହିନୀ

ମାଲକାନଗିରି,୨୭/୧: ଲାଲବାହିନୀର ନାଲିଆଖିକୁ ଖାତିର ନକରି ପ୍ରଥମଥର ପାଇଁ ମୁକାବିଲା କରିଛନ୍ତି ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ବାସିନ୍ଦା। ରାସ୍ତାକାମକୁ ସମର୍ଥନ କରୁଥିବା ଗାଁ’ଲୋକଙ୍କୁ ମାଓବାଦୀମାନେ ଭୟଭୀତ କରିଥିବାବେଳେ ଏଥିରେ ବିବ୍ରତ ନହୋଇ ସ୍ଥାନୀୟ ବାସିନ୍ଦା ସେମାନଙ୍କ ସାମନା କରିଥିଲେ। ଏହି ଗଣ୍ଡଗୋଳରେ ଜଣେ ମାଓବାଦୀର ଜୀବନ ଯାଇଛି। ଏଥିରେ ପ୍ରତିଶୋଧ ପରାୟଣ ହୋଇ ମାଲକାନଗିରି ଯନ୍ତୁରାଇ ଗାଁରେ ମାଓବାଦୀମାନେ ୧୫ଟି ଘର ପୋଡ଼ି ଦେଇଛନ୍ତି। ସୂଚନା ଅନୁଯାୟୀ, ୨୫ ତାରିଖ ବିଳମ୍ବିତ ରାତିରେ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳର ଯନ୍ତୁରାଇ ଗାଁରେ ପ୍ରାୟ ୨୫ରୁ ୩୦ ସଶସ୍ତ୍ର ମାଓବାଦୀ ପହଞ୍ଚି ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଉଥିବା ରାସ୍ତାକାମକୁ ଗ୍ରାମବାସୀ ସମର୍ଥନ କରୁଥିବାରୁ ସେମାନଙ୍କୁ ନାଲି ଆଖି ଦେଖାଇଥିଲେ। ଏହାକୁ ନେଇ ଗ୍ରାମବାସୀ ଓ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବଚସା ହୋଇଥିଲା। ମାଓବାଦୀମାନେ ନିରୀହ ଆଦିବାସୀଙ୍କୁ ମାଡମାରିବା ସହ ଗୁଳିମାଡ଼ କରିଥିଲେ। ପ୍ରତିରକ୍ଷା ପାଇଁ ଗ୍ରାମବାସୀ ଟେକା ପଥର ବର୍ଷା କରିଦେଇଥିଲେ। ଏଥିସହ ଆଦିବାସୀମାନେ ପାରମ୍ପରିକ ଟାଙ୍ଗିଆ ଓ ଧନୁତୀରରେ ଆକ୍ରମଣ କରିବାରୁ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ଏଥିରେ ଆଡମା ନାମକ ଜଣେ ମାଓବାଦୀର ମୃତ୍ୟୁ ଘଟିଥିବାବେଳେ ଜିପ୍ରୋ ହାବିକା ନାମକ ଜଣେ ନକ୍ସଲ କମାଣ୍ଡର ଆହତ ହୋଇଛି। ପ୍ରତିଶୋଧ ପରାୟଣ ହୋଇ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଯୋଡାମ୍ବ ଗାଁରେ ପ୍ରାୟ ୧୫ଟି ଘରକୁ ମାଓବାଦୀ ଜାଳିଦେଇଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟିହୋଇଛି। ବିଏସଏଫ କ୍ୟାମ୍ପରେ କିଛି ଗାଁ ଲୋକ ଆଶ୍ରୟ ନେଇଛନ୍ତି। ସ୍ୱାଭିମାନ ଅଞ୍ଚଳ ଅଶାନ୍ତ ହୋଇପଡିଥିବାବେଳେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

Spread the love