July 27, 2024

Satya News

odia news channel

ରାଜଧାନୀବାସୀଙ୍କ ପୁରୁଣା ଲୁଗା ସଂଗ୍ରହ କରିବ ବିଏମ୍‌ସି ପ୍ରତି ଜୋନ୍‌ରେ ସଂଗ୍ରହ, ବଣ୍ଟନ କେନ୍ଦ୍ର ଖୋଲିବ

 

ଭୁବନେଶ୍ବର : ସହରର ଏଣେତେ‌େ‌ଣ ପୁରୁଣା ଲୁଗା ପଡ଼ିବ ନାହିଁ। ପରିବେଶ ଅପରିଷ୍କାର ରହିବନି। ଗରିବଙ୍କୁ ପୋଷାକ ବାଣ୍ଟିବାକୁ ଚାହିୁଁଥିବା ଲୋକଙ୍କୁ ମଧ୍ୟ ସମସ୍ୟା ହେବନି। କାରଣ ଏଣିକି ଭୁବନେଶ୍ବର ମହାନଗର ନିଗମ( ବିଏମ୍‌ସି) ପୁରୁଣା ଲୁଗା ସଂଗ୍ରହ କରିବ। ଲୁଗାର ଅବସ୍ଥା ଅନୁସାରେ ପୃଥକ୍‌ ଭାବେ ସାଇତା ହେବ। ପୁନଃ ବ୍ୟବହାର ଯୋଗ୍ୟ ଲୁଗା ଏବଂ ଖରାପ ଲୁଗା ଅଲଗା ଅଲଗା ରଖାଯିବ। ସଂଗ୍ରହ ପରେ ଏହାକୁ ସେଣ୍ଟ୍ରାଲ ୱାଶିଂ, ପ୍ୟାକେଜିଂ ଆଣ୍ଡ ଇନ୍‌ଭେଣ୍ଟୋରି ମ୍ୟାନେଜ୍‌ମେଣ୍ଟ ସେଣ୍ଟର(କେନ୍ଦ୍ରୀୟ ସଫା, ଗଣ୍ଠିଲି ଏବଂ ଦ୍ରବ୍ୟ ତାଲିକା କେନ୍ଦ୍ର)କୁ ନିଆଯିବ। ବୈଜ୍ଞାନିକ ପଦ୍ଧତିରେ ଲୁଗାଗୁଡ଼ିକ ସଫା ହୋଇ ବିଭିନ୍ନ ବସ୍ତି ଏବଂ ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ବଣ୍ଟାଯିବ। ଏନେଇ ତିନୋଟି ଜୋନ୍‌ରେ ସଂଗ୍ରହ ଓ ବଣ୍ଟନ ଖୋଲିବା ପାଇଁ ବିଏମ୍‌ସି ପ୍ରକ୍ରିୟା ଆରମ୍ଭ କରିଛି।

ସହରର ବଡ଼ ବଡ଼ ଆପାର୍ଟମେଣ୍ଟ, ବ୍ୟବସାୟ କେନ୍ଦ୍ର ଏବଂ କଲୋନୀ ଅଞ୍ଚଳରୁ ପୁରୁଣା ଲୁଗା ସଂଗ୍ରହ କରିବ ବିଏମ୍‌ସି। ଏନେଇ ଏନ୍‌ଜିଓକୁ ଏହାର ଦାୟିତ୍ବ ଦିଆଯିବ। ସଂଗ୍ରହ ବେଳେ ଲୁଗାର ଅବସ୍ଥା ଯାଞ୍ଚ ହେବ। ପୁରୁଷ, ମହିଳା, ଯୁବକ,ଯୁବତୀ, ପିଲାଙ୍କ ଲୁଗା ଅଲଗା ସଂଗ୍ରହ କରାଯିବ। ଛୁଟିଦିନକୁ ଛାଡ଼ି ପ୍ରତିଦିନ ସକାଳ ୮ଟାରୁ ୧୧ ଟା ଏବଂ ଅପରାହ୍ଣ ୫ଟାରୁ ରାତି ୮ଟା ଯାଏ ସଂଗ୍ରହ କରାଯିବ। ସଂଗ୍ରହକାରୀ ବିଏମ୍‌ସି ପରିଚୟପତ୍ର ଦେଖାଇ ଲୁଗା ସଂଗ୍ରହ କରିବେ। ମାସକ ଭିତରେ ସଂଗୃହୀତ ଲୁଗା ଜୋନାଲ ଡେପୁଟି କମିସନରଙ୍କ ଦ୍ବାରା ଯାଞ୍ଚା ହେବ। ସ୍ବୟଂଚାଳିତ ଯନ୍ତ୍ର ସାହାଯ୍ୟରେ ପୁରୁଣା ଲୁଗା ସଫା ହେବ।

ବିଏମ୍‌ସି ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକ କହିଛନ୍ତି, ସ୍ବଚ୍ଛଳବର୍ଗ କିମ୍ବା ଗରିବଙ୍କୁ ପୋଷାକ ଦାନ କରୁଥିବା ଲୋକଙ୍କଠାରୁ ପୋଷାକ ସଂଗ୍ରହ କରାଯିବ। ଏହାକୁ ବୈଜ୍ଞାନିକ ପଦ୍ଧତିରେ ସଫା କରି ବିଭିନ୍ନ ବସ୍ତି ଅଞ୍ଚଳରେ ବଣ୍ଟାଯିବ। ବସ୍ତିବାସିନ୍ଦା, ଗରିବ ଶ୍ରେଣୀ ଏବଂ ଆବଶ୍ୟକ କରୁଥିବା ଲୋକ ବିଏମ୍‌ସିର ବଣ୍ଟନ କେନ୍ଦ୍ରକୁ ଯାଇ ଲୁଗା ନେଇପାରିବେ। ନୂଆବର୍ଷରୁ ବିଏମ୍‌ସି ଏହି ପଦକ୍ଷେପ ଆରମ୍ଭ କରିବାକୁ ଯୋଜନା ରଖିଛି।

Spread the love