March 27, 2024

Satya News

odia news channel

ଓଡିଶା ବଜେଟ୍-୨୦୨୦ ଉପସ୍ଥାପିତ

ଭୁବନେଶ୍ୱର,୧୮/୨: ଓଡ଼ିଶା ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମଙ୍ଗଳବାର ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ଅନେକ ଦୃଷ୍ଟିକୋଣରୁ ଏଥରର ବଜେଟ ସ୍ୱତନ୍ତ୍ର ହୋଇଛି। ଏଥରର ବଜେଟକୁ ହାଇଟେକ ବଜେଟ କୁହାଯାଉଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଆଇ-ପ୍ୟାଡ୍‌ ମାଧ୍ୟମରେ ବଜେଟ ଉପସ୍ଥାପନା କରିଛନ୍ତି। ସେହିପରି ବିଧାୟକମାନଙ୍କୁ ଗୋଟିଏ ଲେଖାଏଁ ଆଇ-ପ୍ୟାଡ ଦିଆଯାଇଥିବାବେଳେଳ ଏଥିରୁ ସେମାନେ ବଜେଟର ବିବରଣୀ ଜାଣିଛନ୍ତି। ରାଜ୍ୟ ବଜେଟ ଉପସ୍ଥାପନା ଅବସରରେ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ଆଗୁଆ ରହିଥିବା କୁହାଯାଇଛି। ବଜେଟର ଆକାର ୧ ଲକ୍ଷ ୫୦ ହଜାର କୋଟିକୁ ବୃଦ୍ଧି ପାଇଛି। ଓଡ଼ିଶା ରାଜସ୍ୱ ନିଅଣ୍ଟିଆରୁ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି। ସ୍ମାର୍ଟସିଟି ଓ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ସୁନାମ ଅର୍ଜନ କରିପାରିଛି। ଜଳବାୟୁ ବଜେଟ ପ୍ରସ୍ତୁତ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ ବୋଲି କୁହାଯାଇଛି। ସେହିଭଳି ୨୦୨୦-୨୧ ଲିଙ୍ଗ ବଜେଟ ଓ ଶିଶୁ ବଜେଟ ପ୍ରସ୍ତୁତ କରାଯାଉଛି, ଏପରି କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଛି। ଇ-ବଜେଟ ଆଗତ କରି କାଗଜ ବ୍ୟବହାରକୁ ହ୍ରାସ କରାଯାଇ ପାରିଥିବା ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି। ଓଡ଼ିଶାର ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଓଡ଼ିଶା ଗ୍ରାମ ଓ କୃଷି ବଜେଟ ଘୋଷଣା କରାଯାଇଥିବାବେଳେ କୃଷି ଜିଡିପି ଦ୍ୱିଗୁଣିତ ହୋଇ ୪.୫ ପ୍ରତିଶତ ହୋଇଥିବା କୁହାଯାଇଛି।

Spread the love